Unknown

 

 

 

 

 

 

 

 

 

 

 

ଅପବାଦ

ଗୋପୀନାଥ ବେହେରା

 

ପରିଚୟ

 

ଶ୍ରୀ ଗୋପୀନାଥ ବେହେରାଙ୍କ ରଚିତ 'ଅପବାଦ' ସମାଜର କୁଶ୍ଚିତ ଜାତିପ୍ରଥା, ଅର୍ଥନୈତିକ ବୈଷମ୍ୟ ଏବଂ ପ୍ରେମର ସଂଘର୍ଷ ଉପରେ ଆଧାରିତ କାହାଣୀ । କାହାଣୀର ମୁଖ୍ୟ ବିଷୟବସ୍ତୁ ହେଉଛି ପ୍ରେମର ଶକ୍ତି, ଯାହା ସମସ୍ତ ପ୍ରକାରର ସାମାଜିକ ବାଧାବିଘ୍ନ ଏବଂ କଳଙ୍କିତ ଶିକୁଳିକୁ ଛିଣ୍ଡାଇବା ପାଇଁ ସାହସ ପ୍ରଦାନ କରେ । ପୁସ୍ତକଟିରେ ପାଠକବୃନ୍ଦଙ୍କୁ ଆବେଗ, ଦୁଃଖ ଏବଂ ପରିଶେଷରେ ଆତ୍ମ-ଉପଲବ୍ଧିର ଏକ ସ୍ଵତନ୍ତ୍ର ଅନୁଭୂତି ମିଳିଥାଏ ।

 

ପୃଷ୍ଠଭୂମି

 

ସେତେବେଳେ ଗ୍ରାମାଞ୍ଚଳରେ ଜମିଦାରମାନେ ହିଁ ସର୍ବେସର୍ବା ଥିଲେ । ସେମାନଙ୍କର କ୍ଷମତା କେବଳ ଜମିବାଡ଼ି ମଧ୍ୟରେ ସୀମିତ ନଥିଲା, ବରଂ ଗାଁର ପ୍ରତ୍ୟେକ ମଣିଷର ସେମାନେ ଥିଲେ ଭାଗ୍ୟବିଧାତା । ଦିବ୍ୟସିଂହ ମର୍ଦ୍ଦରାଜଙ୍କ ଭଳି ଜମିଦାରମାନେ ନିଜର ବଂଶ ମର୍ଯ୍ୟାଦା ଓ ଜାତି ଗୌରବକୁ ସବୁଠାରୁ ଉପରେ ରଖୁଥିଲେ । ସେହି ସମୟର ସମାଜରେ ଉଚ୍ଚବର୍ଣ୍ଣ ଏବଂ ନିମ୍ନବର୍ଣ୍ଣ ମଧ୍ୟରେ ଏକ ବିରାଟ ପାଚେରୀ ଥିଲା । ଜଣେ ଜମିଦାରଙ୍କ ପୁଅ ଜଣେ ସାଧାରଣ ମୂଲିଆର ଝିଅକୁ ଭଲ ପାଇବା କିମ୍ବା ବିବାହ କରିବା ସେତେବେଳେ କଳ୍ପନା ବାହାରେ ଥିଲା । ଏହାକୁ ହିଁ ସମାଜ ‘ଅପବାଦ’ ବୋଲି କହୁଥିଲା ।

 

କାହାଣୀର ଅନ୍ୟ ଏକ ଦିଗ ହେଉଛି ଧନୀ ଏବଂ ଦରିଦ୍ର ମଧ୍ୟରେ ଥିବା ଆକାଶ ପାତାଳ ବ୍ୟବଧାନ । ଗୋଟିଏ ପଟେ ଜମିଦାରଙ୍କ ବିଳାସମୟ ଜୀବନ, ବୈଠକଖାନାର ସାଜସଜ୍ଜା ଏବଂ ଅଚଳାଚଳ ସମ୍ପତ୍ତିର ମୋହ ରହିଛି । ଅନ୍ୟପଟେ ସପନା ଏବଂ ରତନୀଙ୍କ ଭଳି ଗରିବ ଲୋକଙ୍କ ଜୀବନ, ଯେଉଁଠି ଦୁଇବେଳା ଦୁଇମୁଠା ଖାଇବା ଏବଂ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଝାଟିମାଟିର କୁଡ଼ିଆ ପାଇବା ମଧ୍ୟ ଏକ ସଂଘର୍ଷ । ଅର୍ଥନୈତିକ ବୈଷମ୍ୟ ଓ ଅବିଚାରକୁ ମଧ୍ୟ ପୁସ୍ତକରେ ବର୍ଣ୍ଣନା କରାଯାଇଛି ।

 

କାହାଣୀର ଏକ ଆଧୁନିକ ପରିପ୍ରେକ୍ଷ୍ୟ ହେଉଛି କୁନବାବୁଙ୍କ ଶିକ୍ଷା । କୁନବାବୁ କଟକର ରେଭେନ୍‌ସା କଲେଜରେ ପଢ଼ିଥିବା ଜଣେ ଯୁବକ । ଶିକ୍ଷା ତାଙ୍କୁ ସମାଜର କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ ଦେଇଛି । ସେ ଜାତିପ୍ରଥା ଓ ଧନୀ-ଗରିବର ପାଚେରୀକୁ ଗ୍ରହଣ କରିପାରୁ ନାହାନ୍ତି । ତାଙ୍କ ଭଳି ଶିକ୍ଷିତ ଯୁବକମାନେ ନୂତନ ସମାଜ ଗଠନର ସ୍ୱପ୍ନ ଦେଖୁଛନ୍ତି । ଶିକ୍ଷା ଓ ପରିବର୍ତ୍ତିତ ମନୋଭାବ ଉପନ୍ୟାସରେ ପ୍ରତିଫଳିତ ହୋଇଛି

 

କାହାଣୀର ପୃଷ୍ଠଭୂମି ଦୁଇଟି ଭିନ୍ନ ପରିବେଶରେ ଗଢ଼ିଉଠିଛି : ଗ୍ରାମୀଣ ଓ ସହରୀ । ସାଇଲୋ ଗ୍ରାମଟିରେ ପ୍ରକୃତିର ଶାନ୍ତି ରହିଛି, ନଦୀକୂଳର ଆମ୍ବତୋଟା ଅଛି, କିନ୍ତୁ ସାମାଜିକ ବ୍ୟବସ୍ଥା ଅତି ଜଟିଳ । ଅନ୍ୟପକ୍ଷରେ ସହରୀ ପରିବେଶ ଭାବରେ କଟକକୁ ସ୍ଥାନ ଦିଆଯାଇଛି ।

 

କଟକ ସେତେବେଳେ ଓଡ଼ିଶାର ଏକ ପ୍ରମୁଖ ସହର । ସେଠାରେ ଗାଡ଼ିଘୋଡ଼ାର ଗହଳି, ଡାକ୍ତରଖାନା, ବଡ଼ ବଡ଼ କୋଠା ଏବଂ ବିଜୁଳିବତୀର ଚମକ ରହିଛି । ସହରରେ ଗାଁ ଭଳି ଜାତିଆଣ ଭାବନା ପ୍ରବଳ ନୁହେଁ, କିନ୍ତୁ ଗରିବମାନଙ୍କ ପାଇଁ ସଂଘର୍ଷ ମଧ୍ୟ କମ୍ ନୁହେଁ । ମହାନଦୀ କୂଳର ଶାନ୍ତ ପରିବେଶ ଏବଂ ସହରର ବ୍ୟସ୍ତତା କାହାଣୀରେ ଏକ ନୂଆ ମୋଡ଼ ଆଣିଛି ।

 

ଉପନ୍ୟାସରେ ନାରୀର ସ୍ଥିତି ଓ ମାନସିକତାକୁ ରୂପାୟିତ କରାଯାଇଛି । ଜଣେ ନିରୀହ ଗ୍ରାମୀଣ ଝିଅ ନିଜର ଭାଗ୍ୟକୁ ଗ୍ରହଣ କରିନେଇଛି ଏବଂ ନିଜ ବାପାଙ୍କୁ ସବୁଠାରୁ ଅଧିକ ଭକ୍ତି ଦେଖାଇଛି । ସେହିପରି ଜଣେ ଜମିଦାରଙ୍କ ପତ୍ନୀ ମଧ୍ୟ ନିଜ ପୁଅର ସୁଖ ଏବଂ ପରିବାରର ଶାନ୍ତି ପାଇଁ ସବୁବେଳେ ଚିନ୍ତିତ । ସେତେବେଳର ସମାଜରେ ନାରୀମାନେ ଘର ଭିତରେ ସୀମିତ ଥିଲେ ମଧ୍ୟ ପରିବାରର ଆବେଗିକ ଦିଗକୁ ନିୟନ୍ତ୍ରଣ କରୁଥିଲେ ।

 

ପ୍ରମୁଖ ପାତ୍ରମାନେ

 

ବିଭିନ୍ନ ଚରିତ୍ର ମାଧ୍ୟମରେ ଔପନ୍ୟାସିକ ପୁସ୍ତକଟିକୁ ସମୃଦ୍ଧ କରିଛନ୍ତି । ସାଇଲୋ ଗ୍ରାମର ଜମିଦାର ଦିବ୍ୟସିଂହ ମର୍ଦ୍ଦରାଜ । ତାଙ୍କ ପୁଅ ଉଚ୍ଚଶିକ୍ଷିତ ଓ ସଂସ୍କାରବାଦୀ । କୁନ ବାବୁ ଗ୍ରାମର ଜଣେ ମୁଲିଆ ସପନାର ଝିଅ ରତନୀକୁ ଭଲପାଇ ବସନ୍ତି ଓ ବିବାହ ନିମନ୍ତେ ନିଷ୍ପତ୍ତି ନିଅନ୍ତି । କିନ୍ତୁ ତାଙ୍କ ବାପା ଦିବ୍ୟସିଂହ ଏପରି ଭଲ ପାଇବାକୁ ଅସ୍ଵୀକାର କରନ୍ତି ଓ କଟକର ଜନୈକ ଜମିଦାର ପଟ୍ଟନାୟକ ବାବୁଙ୍କ ଝିଅକୁ ବୋହୂ କରିବେ ବୋଲି ସ୍ଥିର କରନ୍ତି ।

 

ବଇଁଶୀ ଏହି ଉପନ୍ୟାସର ଏକ ପ୍ରଭାବଶାଳୀ ଗୌଣ ଚରିତ୍ର, ଯିଏ ନିଜର ଚାଟୁକାରିତା ଏବଂ ନିଷ୍ଠୁରତା ପାଇଁ କାହାଣୀରେ ଏକ ଖଳନାୟକର ଆଭାସ ଦିଏ । ସେ ଜମିଦାର ଦିବ୍ୟସିଂହ ମର୍ଦ୍ଦରାଜଙ୍କ ଅତି ବିଶ୍ୱସ୍ତ ପିଆଦା । ସେ ଆଜ୍ଞାବହ, କୁଟିଳ, ସ୍ଵାର୍ଥପର ଓ ହିଂସା ମନୋବୃତ୍ତିର ବ୍ୟକ୍ତି-

 

ନିର୍ମଳ କୁନବାବୁଙ୍କ ଜଣେ କଲେଜ ସମୟର ଅନ୍ତରଙ୍ଗ ବନ୍ଧୁ । ସେ ଶିକ୍ଷିତ ଏବଂ ମାନବିକତାବାଦୀ । କୁନବାବୁ ଯେତେବେଳେ ଗାଁ ଛାଡ଼ି କଟକରେ ଏକାକୀ ରତନୀ ଓ ସପନାଙ୍କ ଦାୟିତ୍ୱ ନେଇଥିଲେ, ସେତେବେଳେ ନିର୍ମଳ ହିଁ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ । ସେ ସପନାଙ୍କ ଶବ ସଂସ୍କାର କରିବାରେ କୁନବାବୁଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛନ୍ତି । ସେ ନିଷ୍କପଟ ବନ୍ଧୁତ୍ଵର ପରିଚୟ ଦେଇଛନ୍ତି ।

 

ଅନ୍ୟ ଏକ ଚରିତ୍ର ନବକୁମାର ଗାଁର ଗୋକୁଳି ବାବୁଙ୍କ ପୁଅ ଏବଂ ଜଣେ ବଳିଷ୍ଠ ତଥା ଉଜ୍ଜ୍ୱଳ ଚେହେରାର ଯୁବକ । ଜମିଦାରଙ୍କ ଅନୁରୋଧ କ୍ରମେ ସେ କୁନବାବୁଙ୍କୁ ଖୋଜିବା ପାଇଁ କଟକ ଯାଇଛନ୍ତି । ସେ ଡି.ଏସ୍.ପି ଶ୍ରୀଧର ବାବୁଙ୍କ ଘରେ ରହି କୁନବାବୁଙ୍କ ଠିକଣା ପାଇବାକୁ ପ୍ରୟାସ କରିଛନ୍ତି । ଜଣେ ସୂଚନାଦାତା ଭାବରେ ସେ କାହାଣୀର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଗାଁକୁ ଫେରି ଶ୍ରୀଧର ବାବୁଙ୍କ ଚିଠି ଏବଂ କୁନବାବୁଙ୍କ ଖବର ଜମିଦାରଙ୍କୁ ଦେଇଛନ୍ତି, ଯାହା ମର୍ଦ୍ଦରାଜ ବାବୁଙ୍କ ହୃଦୟ ପରିବର୍ତ୍ତନରେ ସାହାଯ୍ୟ କରିଛି ।

 

ଶ୍ରୀଧର ବାବୁ ଜଣେ ପୋଲିସ ଅଫିସର ଏବଂ ଦୀନବନ୍ଧୁ ବାବୁଙ୍କ ପୁଅ, ଯିଏ ସମ୍ବଲପୁରରୁ କଟକକୁ ବଦଳି ହୋଇ ଆସିଛନ୍ତି । ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବରେ ଭୂମିକା ନିର୍ବାହ କରିଛନ୍ତି, ଶାସନ ଓ ସମ୍ପର୍କ ମଧ୍ୟରେ ସମନ୍ଵୟ ରକ୍ଷା କରିଛନ୍ତି । ସେ ଜଣେ ନାମଜାଦା ପୋଲିସ କର୍ମଚାରୀ ହୋଇଥିଲେ ମଧ୍ୟ ନିଜର ଗ୍ରାମୀଣ ସମ୍ପର୍କକୁ ଭୁଲି ନାହାନ୍ତି ।

 

ଶ୍ରୀଧର ବାବୁଙ୍କ ପତ୍ନୀ ଚପଳା ମଧ୍ୟ ଜଣେ ମମତାମୟୀ ମହିଳା । ଯେତେବେଳେ ନବକୁମାର ତାଙ୍କ ଘରକୁ ଆସିଛନ୍ତି, ସେ ତାଙ୍କୁ ସ୍ନେହରେ ଖୁଆଇବା ସହ ଗାଁର ସମସ୍ତ ଭଲମନ୍ଦ ଖବର ପଚାରି ବୁଝିଛନ୍ତି । ନବକୁମାରଙ୍କ ଭଉଣୀ ବୀଣାର ମୃତ୍ୟୁ ଖବର ଶୁଣି ସେ ଦୁଃଖ ପ୍ରକାଶ କରିଛନ୍ତି, ଯାହା ତାଙ୍କର କୋମଳ ହୃଦୟକୁ ଦର୍ଶାଏ । ସେ ମଧ୍ୟ କୁନବାବୁଙ୍କୁ ଫେରାଇ ଆଣିବା ପାଇଁ ଶ୍ରୀଧର ବାବୁଙ୍କୁ ଉତ୍ସାହିତ କରିଛନ୍ତି ।

 

ଜଗା, ଭୋଳା ଏବଂ ମଦନା ଇତ୍ୟାଦି ଚରିତ୍ର ଶୋଷଣର ହାତବାରିସୀ ଭାବରେ ଶକ୍ତିଶାଳୀ ଲୋକଙ୍କ ଚାପରେ ପଡ଼ି ଭୁଲ୍ କାମ କରିଛନ୍ତି । ସେମାନେ ପ୍ରାୟ ଯୁବକ । ଏପରି ଚରିତ୍ରମାନେ ନିଶାଖୋର । ଏମାନେ ସପନାର ଘରୁ ଆସବାବପତ୍ର ଫିଙ୍ଗିବା ଏବଂ ଘରେ ନିଆଁ ଲଗାଇବାରେ ସାହାଯ୍ୟ କରିଛନ୍ତି, ଗରିବଙ୍କ ପ୍ରତି ସଂବେଦନାହୀନ ହୋଇ ସାମାଜିକ ନିଷ୍ଠୁରତାର ଅଂଶ ପାଲଟନ୍ତି ।

 

ପଟ୍ଟନାୟକ ବାବୁ କଟକର ଜଣେ ପ୍ରତିଷ୍ଠିତ ଜମିଦାର । ତାଙ୍କ ଝିଅ ସହ କୁନବାବୁଙ୍କ ବିବାହ ସ୍ଥିର ହୋଇଥିଲା । ସେ ଅଚଳାଚଳ ସମ୍ପତ୍ତିର ମାଲିକ ଏବଂ କୁନବାବୁଙ୍କ ପାଇଁ ବହୁତ ଯୌତୁକ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେ ଜଣେ ଶିକ୍ଷିତ ଏବଂ ମର୍ଯ୍ୟାଦାବନ୍ତ ପରିବାର ଖୋଜୁଥିଲେ, ସେଥିପାଇଁ ସେ ନିଜେ ଯାଇ କୁନବାବୁଙ୍କ ପରିବାର ସହ ଆଲୋଚନା କରିଛନ୍ତି । ତାଙ୍କର ଚରିତ୍ର ଦର୍ଶାଏ ଯେ କିପରି ସେହି ସମୟରେ ବିବାହ କେବଳ ଦୁଇଟି ହୃଦୟର ମିଳନ ନୁହେଁ, ବରଂ ଦୁଇଟି ବଂଶର ସମ୍ମାନ ଓ ସମ୍ପତ୍ତିର କାରବାର ଥିଲା ।

 

ଅନ୍ୟ ଏକ ଚରିତ୍ର ସୁରେଶ ଜଣେ ପୁରୁଣା ବନ୍ଧୁ ଭାବରେ ଉପନ୍ୟାସରେ ନିଜର ଉପସ୍ଥିତି ପ୍ରଦର୍ଶନ କରିଛନ୍ତି । ସେ ଓକିଲ ବିନୋଦ ବାବୁଙ୍କ ପୁଅ । ସେ କୁନବାବୁ ଓ ନିର୍ମଳଙ୍କ ସହ କଲେଜରେ ପଢ଼ୁଥିଲା । ତାଙ୍କୁ କୁନବାବୁ 'ଟିମା' ବୋଲି ଥଟ୍ଟାରେ ଡାକନ୍ତି ।

 

ରତନୀର ବାପା ସପନା ଏବଂ ପରେ ଜମିଦାର ମର୍ଦ୍ଦରାଜଙ୍କ ଚିକିତ୍ସା ସମୟରେ ଡାକ୍ତର ଓ ନର୍ସଙ୍କ ପରି ଚରିତ୍ରମାନେ ଆସିଛନ୍ତି । ସେମାନେ ସପନାର ମୃତ୍ୟୁ ଏବଂ ମର୍ଦ୍ଦରାଜ ବାବୁଙ୍କ ଅସୁସ୍ଥତା ସମୟରେ ବାସ୍ତବବାଦୀ ଦୃଷ୍ଟିକୋଣ ରଖିଛନ୍ତି ।

 

ଏହା ବ୍ୟତୀତ ଜମିଦାର ପରିବାରର ଚାକର, ଚାକରାଣୀ ଓ ରୋଷେୟା ମଧ୍ୟ ଉପନ୍ୟାସର ଚରିତ୍ର ସାଜିଛନ୍ତି ।

 

ବିଷୟବସ୍ତୁ

 

କାହାଣୀର ଆରମ୍ଭ ହୁଏ ସାଇଲୋ ଗ୍ରାମର ନଈକୂଳରୁ । ଗାଁର ଜଣେ ଗରିବ ମୂଲିଆ ସପନାର ଝିଅ, ରତନୀ ଦିନେ ମୁହଁ ସଞ୍ଜରେ ନଈରୁ ପାଣି ନେଇ ଫେରୁଥିବା ବେଳେ ଜମିଦାରଙ୍କ ପୁଅ କୁନବାବୁଙ୍କ ସହ ତା’ର ଭେଟ ହୁଏ । କୁନବାବୁ ରତନୀର ସରଳତା ଓ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାକୁ ନିଜର ମନର କଥା କୁହନ୍ତି। ରତନୀ ପ୍ରଥମେ ଭୟ କରେ, କାରଣ ସେ ଜାଣେ ଯେ ଜଣେ ଜମିଦାର ପୁଅ ଏବଂ ଗରିବ ଝିଅର ମିଳନ ସମାଜରେ ଏକ ବଡ଼ 'ଅପବାଦ' ସୃଷ୍ଟି କରିବ । କିନ୍ତୁ କୁନବାବୁଙ୍କ ନିଷ୍ଠାପରତା ଏବଂ ପ୍ରେମର ଆକର୍ଷଣ ରତନୀକୁ ତାଙ୍କ ନିକଟତର କରେ। ଦୁହେଁ ନଈକୂଳର ଆମ୍ବତୋଟାରେ ଗୋପନରେ ଦେଖାସାକ୍ଷାତ କରନ୍ତି ଏବଂ ଏକ ସୁଖର ସଂସାର ଗଢ଼ିବାର ସ୍ୱପ୍ନ ଦେଖନ୍ତି ।

 

ଏହି ପ୍ରେମ କାହାଣୀ ଯେତେବେଳେ ଜମିଦାର ଦିବ୍ୟସିଂହ ମର୍ଦ୍ଦରାଜଙ୍କ କାନକୁ ଯାଏ, ସେତେବେଳେ ସେ ଖୁବ୍ କ୍ରୋଧିତ ହୁଅନ୍ତି । ତାଙ୍କ ପାଇଁ ନିଜ ବଂଶର ମର୍ଯ୍ୟାଦା ଏବଂ ଜାତି ଗୌରବ ସବୁଠାରୁ ଉପରେ । ସେ କୁନବାବୁଙ୍କ ବିବାହ କଟକର ଜଣେ ପ୍ରତିଷ୍ଠିତ ଜମିଦାର ପଟ୍ଟନାୟକ ବାବୁଙ୍କ ଝିଅ ସହ ସ୍ଥିର କରନ୍ତି । କିନ୍ତୁ କୁନବାବୁ ନିଜ ଜିଦ୍‌ରେ ଅଟଳ ରହନ୍ତି। ସେ ତାଙ୍କ ପିତାଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଅନ୍ତି ଯେ ସେ ରତନୀକୁ ହିଁ ବିବାହ କରିବେ ଏବଂ ସମାଜର ଏହି କଳଙ୍କିତ ଜାତିପ୍ରଥାକୁ ମାନିବେ ନାହିଁ । କୁନବାବୁଙ୍କ ଏହି ବିଦ୍ରୋହ ଜମିଦାରଙ୍କ ଅହଂକାରରେ ବଡ଼ ଆଘାତ ଦିଏ। ସେ ଭାବନ୍ତି ଯେ ଯଦି ସେ ରତନୀ ଓ ତା’ର ପରିବାରକୁ ଗାଁରୁ ବାହାର କରିଦେବେ, ତେବେ କୁନବାବୁ ବାଟକୁ ଫେରିଆସିବେ ।

 

ଜମିଦାର ନିଜର ବିଶ୍ୱସ୍ତ ସେବକ ବଇଁଶୀକୁ ନିର୍ଦ୍ଦେଶ ଦିଅନ୍ତି ସପନାକୁ ଗାଁରୁ ବିତାଡ଼ିତ କରିବା ପାଇଁ । ବଇଁଶୀ କିଛି ଗୁଣ୍ଡା ଶ୍ରେଣୀର ଯୁବକଙ୍କୁ ଧରି ସପନା ଘରେ ପହଞ୍ଚେ । ସେତେବେଳେ ସପନା ଭୀଷଣ ଜ୍ୱରରେ ପଡ଼ିଥାଏ ଏବଂ ରତନୀ ଅସହାୟ ଭାବେ ତା’ର ସେବା କରୁଥାଏ । କୌଣସି ଦୟାମାୟା ନରଖି ବଇଁଶୀ ସେହି ଅସହାୟ ପରିବାରର ଝାଟିମାଟି କୁଡ଼ିଆରେ ନିଆଁ ଲଗାଇ ଦିଏ । ଚାହୁଁ ଚାହୁଁ ରତନୀର ସର୍ବସ୍ୱ ପୋଡ଼ି ଛାରଖାର ହୋଇଯାଏ। ଘୋଷାରି ହୋଇ ଅଧାପୋଡ଼ା ଅବସ୍ଥାରେ ବାପ ଝିଅ ଦୁହେଁ ଅନ୍ଧାର ରାତିରେ ବାହାରକୁ ଆସନ୍ତି । ଗାଁର କେହି ସେମାନଙ୍କୁ ସାହାଯ୍ୟ କରିବାକୁ ସାହସ କରନ୍ତି ନାହିଁ।

 

ସବୁ ହରାଇବା ପରେ ରତନୀ ନିଜର ଅସୁସ୍ଥ ବାପାଙ୍କୁ ଧରି ଗାଁ ଶେଷରେ ଥିବା ମଶାଣିରେ ଏକ ପୁରୁଣା ଗଛ ମୂଳେ ଆଶ୍ରୟ ନିଏ । ଜଣେ ଯୁବତୀର ସଂଘର୍ଷ କାହାଣୀକୁ ଏକ ମର୍ମସ୍ପର୍ଶୀ ମୋଡ଼ ଦିଏ । ଠିକ୍ ସେହି ସମୟରେ କୁନବାବୁ ସେଠାରେ ପହଞ୍ଚନ୍ତି । ସେ ନିଜ ପରିବାର ଓ ସମ୍ପତ୍ତିକୁ ତ୍ୟାଗ କରି ରତନୀ ଓ ସପନାଙ୍କୁ ଉଦ୍ଧାର କରି କଟକ ନେଇ ଆସନ୍ତି । କଟକରେ କୁନବାବୁ ସପନାଙ୍କୁ ମେଡିକାଲରେ ଭର୍ତ୍ତି କରନ୍ତି, କିନ୍ତୁ ଅତ୍ୟଧିକ ଶାରୀରିକ ଓ ମାନସିକ କଷ୍ଟ ଯୋଗୁଁ ସପନାଙ୍କର ସେଠାରେ ମୃତ୍ୟୁ ଘଟେ । ରତନୀ ସମ୍ପୂର୍ଣ୍ଣ ଅନାଥ ହୋଇଯାଏ, କିନ୍ତୁ କୁନବାବୁ ତା’ର ସାହସ ସାଜି ଠିଆ ହୁଅନ୍ତି। ସେ ନିଜ ବନ୍ଧୁ ନିର୍ମଳଙ୍କ ସାହାଯ୍ୟରେ ସପନାଙ୍କ ଶବ ସଂସ୍କାର କରନ୍ତି ।

 

କଟକରେ କୁନବାବୁ ରତନୀକୁ ନେଇ ଏକ ବସାରେ ରହନ୍ତି। ସେ ରତନୀକୁ ଆଧୁନିକ ବେଶପୋଷାକରେ ସଜାଇବା ସହ ତାକୁ ସମ୍ମାନର ସହ ନିଜର ସ୍ତ୍ରୀ ଭାବେ ଗ୍ରହଣ କରନ୍ତି । ରତନୀ ପ୍ରଥମେ ସହରର ଗହଳି ଓ ନୂଆ ପରିବେଶକୁ ଦେଖି ଡରି ଯାଇଥିଲେ ମଧ୍ୟ କୁନବାବୁଙ୍କ ସ୍ନେହରେ ସେ ନିଜକୁ ଗଢ଼ି ତୋଳେ । ଅନ୍ୟପଟେ କୁନବାବୁଙ୍କ ଅନ୍ତରଙ୍ଗ ବନ୍ଧୁ ନିର୍ମଳ ସେମାନଙ୍କର ଏହି ନିଷ୍କପଟ ସମ୍ପର୍କକୁ ଦେଖି ଖୁବ୍ ଖୁସି ହୁଅନ୍ତି ଏବଂ ସେମାନଙ୍କୁ ସବୁପ୍ରକାର ସହଯୋଗ କରନ୍ତି । କିନ୍ତୁ ରତନୀ ମନରେ ସବୁବେଳେ ଏକ ଦୁଃଖ ରହିଥାଏ ଯେ କୁନବାବୁ ତା’ ପାଇଁ ନିଜ ବାପା-ମାଆଙ୍କୁ ଛାଡ଼ିଛନ୍ତି ।

 

ଗାଁରେ କୁନବାବୁଙ୍କ ଅନୁପସ୍ଥିତି ଏବଂ ସପନା ପ୍ରତି ହୋଇଥିବା ଅନ୍ୟାୟ ଯୋଗୁଁ ଜମିଦାରୀ ପ୍ରଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ଗାଁ ଲୋକେ ଜମିଦାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି । ପୁଅର ବିଚ୍ଛେଦରେ ମା ସ୍ୱପ୍ନମଞ୍ଜରୀ ଦେବୀ ଦାନା କନା ଛାଡ଼ି ଶଯ୍ୟାଶାୟୀ ହୁଅନ୍ତି । ଏହି ସବୁ ଘଟଣା ଜମିଦାର ମର୍ଦ୍ଦରାଜଙ୍କ ମନରେ ପରିବର୍ତ୍ତନ ଆଣେ। ସେ ନିଜର ଭୁଲ୍ ବୁଝିପାରନ୍ତି ଏବଂ ନିଜ ପୁଅକୁ ଖୋଜିବା ପାଇଁ ଗୋକୁଳିବାବୁଙ୍କ ପୁଅ ନବକୁମାରଙ୍କୁ କଟକ ପଠାନ୍ତି-। ନବକୁମାର ଡି.ଏସ୍.ପି ଶ୍ରୀଧର ବାବୁଙ୍କ ସାହାଯ୍ୟରେ କୁନବାବୁଙ୍କ ସନ୍ଧାନ ପାଆନ୍ତି-। ଜମିଦାର ମଧ୍ୟ ଖବରକାଗଜରେ ବିଜ୍ଞାପନ ଦେଇ କୁନବାବୁଙ୍କୁ ଫେରିଆସିବାକୁ ଅନୁରୋଧ କରନ୍ତି, ଏବଂ ନିଜର ଅହଂକାର ଓ ଜିଦ୍‌କୁ ତ୍ୟାଗ କରିବାର ପ୍ରତିଶୃତି ଦିଅନ୍ତି ।

 

କୁନବାବୁ ବିଜ୍ଞାପନ ପଢ଼ିବା ପରେ ରତନୀକୁ ସାଙ୍ଗରେ ଧରି ଗାଁକୁ ଫେରିଆସନ୍ତି । ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜମିଦାର ରତନୀକୁ ଦେଖି ଖୁବ୍ ଭାବୁକ ହୋଇଯାଆନ୍ତି । ସେ ରତନୀକୁ 'ରତ୍ନ' ବୋଲି ସମ୍ବୋଧନ କରନ୍ତି ଏବଂ ତାକୁ ନିଜ ବଂଶର ବୋହୂ ଭାବେ ସ୍ୱୀକୃତି ଦିଅନ୍ତି । ସେ କୁନବାବୁଙ୍କୁ କହନ୍ତି ଯେ ସେ ନିଜର ଆଦର୍ଶରେ ବିଜୟୀ ହୋଇଛନ୍ତି। ରତନୀ ଓ କୁନବାବୁଙ୍କୁ ଆଶୀର୍ବାଦ ଦେଇ ଜମିଦାର ଶେଷ ନିଶ୍ୱାସ ତ୍ୟାଗ କରନ୍ତି । କାହାଣୀଟି ଏକ ଶୋକାକୁଳ କିନ୍ତୁ ସାର୍ଥକ ସମାପ୍ତିରେ ପହଞ୍ଚେ । 'ଅପବାଦ' ପାଲଟିଯାଏ ସମ୍ମାନର ଏକ ମୂଲ୍ୟବାନ ରତ୍ନ ।

 

ଉପସଂହାର

 

କାହାଣୀର ଶେଷ ଭାଗଟି ଅତି ମର୍ମସ୍ପର୍ଶୀ । ଜମିଦାର ଦିବ୍ୟସିଂହ ମର୍ଦ୍ଦରାଜ, ଯିଏ ଦିନେ ନିଜର ବଂଶ ମର୍ଯ୍ୟାଦା ପାଇଁ ଜଣେ ନିରୀହ ଗରିବ ପ୍ରଜାର ଘରେ ନିଆଁ ଲଗାଇବାକୁ ପଛାଇ ନଥିଲେ, ସେହି ବ୍ୟକ୍ତି ନିଜ ଜୀବନର ଶେଷ ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି । ନିଜ ପୁଅ କୁନବାବୁଙ୍କୁ ଖୋଜିବା ପାଇଁ ବିଜ୍ଞାପନ ଦେବାବେଳେ ତାଙ୍କର ଅହଂକାର ନାହିଁ, ବରଂ ଜଣେ ଅସହାୟ ପିତାର ଆକୁଳ ନିବେଦନ ଭରି ରହିଛି । ଏହି ଦର୍ଶାଏ ଯେ, ସମାଜରେ ଥିବା ଜାତି-ଗୋତ୍ରର ପାଚେରୀ ଯେତେ ଉଚ୍ଚ ହେଲେ ମଧ୍ୟ, ଜୀବନର ଶେଷ ସମୟରେ କେବଳ ସ୍ନେହ ଏବଂ ସମ୍ପର୍କ ହିଁ ସତ୍ୟ ହୋଇ ରହିଯାଏ । ରତନୀର ଚରିତ୍ର ଧୈର୍ଯ୍ୟର ଏକ ଶକ୍ତ ଶିକ୍ଷା ପ୍ରଦାନ କରେ-। ଯେଉଁ ଝିଅ ନିଜ ବାପାଙ୍କ ସହ ମଶାଣିରେ ରାତି ବିତାଇଥିଲା, ଯିଏ ଅଜଣା ସହର କଟକରେ ଆଶ୍ରୟ ଖୋଜୁଥିଲା, ସେ ପରିଶେଷରେ ନିଜର ସମ୍ମାନ ଫେରି ପାଇଛି । କିନ୍ତୁ ଏହି ସମ୍ମାନ ପାଇବା ପାଇଁ ତାକୁ ନିଜର ପ୍ରିୟ ବାପା ସପନାକୁ ହରାଇବାକୁ ପଡ଼ିଛି । କୁନବାବୁଙ୍କ ଚରିତ୍ର ଜଣେ ଆଦର୍ଶ ଯୁବକର ପ୍ରତିଛବି। ସେ ନିଜର ସୁଖ ସୁବିଧା ଏବଂ ଜମିଦାରୀ ମର୍ଯ୍ୟାଦାକୁ ତ୍ୟାଗ କରି ରତନୀର ହାତ ଧରିଛନ୍ତି । ସେ କେବଳ ରତନୀକୁ ପ୍ରେମ କରିନାହାନ୍ତି, ବରଂ ତାକୁ ଏହି ସମାଜ ଆଗରେ ମୁଣ୍ଡ ଟେକି ବଞ୍ଚିବାର ସାହସ ଦେଇଛନ୍ତି । ତାଙ୍କର ଏହି ବିଦ୍ରୋହ ହିଂସାତ୍ମକ ବିଦ୍ରୋହ, ପ୍ରେମ ଏବଂ ନୈତିକତାର ଏକ ଶାନ୍ତ ସଂଗ୍ରାମ ଥିଲା ।

Image